ଏ କି ପ୍ରକାର ମାନସିକତା, କଇଁଛ ଶୀକାର କରି ରୋଷେଇ କରି ଖାଇଲେ

Published By : Prameya-News7 Bureau | January 05, 2025 IST

ଭୁବନେଶ୍ୱର ୦୫।୦୧ : କଇଁଛ ଶୀକାର କରି ରୋଷେଇ କରି ଖାଇଲେ । ସେହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କଲେ l ଜଣେ ଯୁବକ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଇଣ୍ଡିଆନ ଫ୍ଲାପ ସେଲ କଇଁଛକୁ ରାନ୍ଧି ଖାଇବା ଭିଡ଼ିଓ ଅପଲୋଡ଼ କରିଛନ୍ତି । ଯୁବକଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

ତେବେ ୟୁଟ୍ୟୁବ୍ର ତଥ୍ୟ ଅନୁସାରେ,  ଏହି ଭିଡିଓଟି ୨୭ ଡିସେମ୍ବର ୨୦୨୪ରେ ଅପଲୋଡ଼ ହୋଇଥିବା ଜଣାପଡ଼ୁଛି। କଇଁଛଟିକୁ କାଟିବା ସହ ମସଲା ଦେଇ ରନ୍ଧାଯାଉଛି । ଶେଷରେ ଯୁବକ ଜଣଙ୍କ ସେଇ ମାଂସ ଖାଇ ଭାରି ଖୁସି ହେଉଥିବା ଭିଡ଼ିଓରେ ଦେଖାଯାଉଛି । ଯୁବକଙ୍କ ୟୁଟ୍ୟୁବ୍ ପୃଷ୍ଠାରେ ସମ୍ବଲପୁରୀ ଲେଖା ଯାଇଥିବାରୁ ଏବଂ ଭିଡ଼ିଓରେ ଓଡ଼ିଆ ଗୀତ ବ୍ୟବହାର ହୋଇଥିବାରୁ ସେ ଜଣେ ଓଡ଼ିଆ ବୋଲି ଅନୁମାନ କରିହେଉଛି । ଇଣ୍ଡିଆନ ଫ୍ଲାପ ସେଲ କଇଁଛଟି ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍, 1972 ଅନୁଯାୟୀ ସିଡ୍ୟୁଲ୍ ୧ ସରୀସୃପ ଭାବରେ ସଂରକ୍ଷିତ। ଏହାକୁ ଶୀକାର କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୧ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ତେଣୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡ଼ିଓ ପାଇଁ ଏହି ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରି ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଇମେଲ ମାଧ୍ୟମରେ ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ। କେବଳ ଟଙ୍କା ରୋଜଗାର କରିବା ପାଇଁ ଏଭଳି କରାଯାଉଥିବା ଶୁଭେନ୍ଦୁ ଅଭିଯୋଗ କରିଛନ୍ତି। ଗତବର୍ଷ ସୋସିଆଲ ମିଡିଆରେ ସାପ ଧରିବା ଭିଡ଼ିଓ ପୋଷ୍ଟ କରିବା ପାଇଁ ଭଦ୍ରକ ଡିଏଫଓ ଜଣଙ୍କୁ ଗିରଫ କରିଥିଲେ। ସେହିଭଳି ମାଙ୍କଡ ଭିଡ଼ିଓ ପୋଷ୍ଟ କରିବା ଅଭିଯୋଗରେ କଟକ ଡିଏଫଓ ଯାଜପୁରର ଦମ୍ପତ୍ତିଙ୍କୁ ଗିରଫ କରିଥିଲେ। ତେବେ ଏମନେ ଜାମିନରେ ଆସିବା ପରେ ପୁଣି ସେଇ ବେଆଇନ କାମ ଆରମ୍ଭ କରି ଦେଇଥିବା ଶୁଭେନ୍ଦୁ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.